ଚାରିଧାମ ଓ ପଞ୍ଚ କେଦାର: ଦେବଭୂମି ଉତ୍ତରାଖଣ୍ଡର ପ୍ରସିଦ୍ଧ ଚାରିଧାମ ଯାତ୍ରା

 
Uttarakhand Char Dham Yatra Bharat Samskriti

ହିମାଳୟର ପାଦ ଦେଶରେ ବିରାଜିତ ପ୍ରଭୁ ପ୍ରଭୁ ଶିବ ଶଙ୍କର ଓ ପ୍ରଭୁ ମହାବିଣ୍ଣୁ । ଏମିତି ମନ୍ଦିର ଯାହା ବର୍ଷରେ ୬ ମାସ ବନ୍ଦ ରହେ ଓ ଅନ୍ୟ ୬ ମାସ ଖୋଲା ହୁଏ ଭକ୍ତଙ୍କ ଦର୍ଶନ ପାଇଁ। ଏହି ସ୍ୱର୍ଗକୁ ଯିବା ପାଇଁ ପ୍ରତିବର୍ଷ ଅପେକ୍ଷା କରି ରହନ୍ତି କୋଟି କୋଟି ଭକ୍ତ। 

ଉତ୍ତରାଖଣ୍ଡର ପ୍ରସିଦ୍ଧ ଚାରିଧାମ ଯାତ୍ରା

ଜୟ ଜୟ କାର ମଧ୍ୟରେ ଖୋଲିଛି ବାବା କେଦାରନାଥଙ୍କ ମନ୍ଦିର । ପରମ୍ପରା ଅନୁସାରେ ପଣ୍ତିତଙ୍କ ମନ୍ତ୍ର ଉଚ୍ଚାରଣ ପରେ ଶୁଭ ମୁହୂର୍ତ୍ତରେ ବାବା କେଦାରନାଥଙ୍କ ମନ୍ଦିରର ଦ୍ବାର ଫିଟା ଯାଇଥିଲା । ଦ୍ୱାର ଖୋଲିବା ପୂର୍ବରୁ ବହୁ ସଂଖ୍ୟାରେ ଭକ୍ତ ଦର୍ଶନ ପାଇଁ ଏକତ୍ରିତ ହୋଇଥିଲେ । ବ୍ରହ୍ମ ମୁହୂର୍ତ୍ତରେ ଗର୍ଭଗୃହରେ କେଦାରନାଥଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା ପରେ ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ କବାଟ ଖୋଲାଯାଇଥିଲା । ମନ୍ଦିରର କବାଟ ଖୋଲିବା ପୂର୍ବରୁ ଭଗବାନ ଶିବଙ୍କ ମନ୍ଦିରକୁ ପ୍ରାୟ ୨୦ କ୍ୱିଣ୍ଟାଲରୁ ଅଧିକ ଫୁଲରେ ସଜାଯାଇଥିଲା । 

ସେପଟେ ତୁଷାରପାତ ଭିତରେ ଭକ୍ତଙ୍କ ପାଇଁ ଖୋଲିଛି ବଦ୍ରିନାଥ ଧାମର କବାଟ । ସ୍ୱତନ୍ତ୍ର ପୂଜାର୍ଚ୍ଚନା ଓ ବୈଦିକ ମନ୍ତ୍ର ଉଚ୍ଚାରଣ ଭିତରେ ଖୋଲିଛି ମନ୍ଦିର । ୧୫ କ୍ୱିଣ୍ଟାଲ ଫୁଲରେ ଚମତ୍କାର ରୂପ ନେଇଛି ବିଷ୍ଣୁଙ୍କ ବଦ୍ରିନାଥ ମନ୍ଦିର । ବଦ୍ରିନାଥ ମନ୍ଦିରର କବାଟ ଖୋଲିବା ସହ ଉତ୍ତରାଖଣ୍ଡର ଚାରି ଧାମ ଯାତ୍ରା ଆରମ୍ଭ ହୋଇଛି । ପ୍ରବଳ ତୁଷାରପାତ ଭିତରେ ଶ୍ରଦ୍ଧାଳୁଙ୍କ ଭିଡ ଜମିଛି । ଏବଂ ଜୟଜୟ କାର ଧ୍ୱନିରେ ପୁରା ପରିବେଶ ପ୍ରକମ୍ପିତ ହୋଇଉଠିଛି । ଆଇଟିବିପି ବ୍ୟାଣ୍ଡ ଓ ଗଡୱାଲ ସ୍କାଉଟ୍ସ ଟିମ୍ ଉପସ୍ଥିତ ରହି ବ୍ୟାଣ୍ଡ ବାଜା ବଜାଇଥିଲେ ।

କବାଟ ଖୋଲିବା ମାତ୍ରେ ବଦ୍ରିନାଥ ଧାମର ମୁଖ୍ୟ ପୁରୋହିତ ପ୍ରଥମେ ମନ୍ଦିର ଭିତରକୁ ପ୍ରବେଶ କରିଥିଲେ। ଚଳିତ ବର୍ଷ ମଧ୍ୟ ପ୍ରଭୁ ବଦ୍ରିନାଥଙ୍କ ଦ୍ୱାର ଖୋଲିବା ମାତ୍ରେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନାମରେ ପ୍ରଭୁଙ୍କର ପ୍ରଥମ ପୂଜା ଓ ଆରତୀ କରାଯାଇଥିଲା । ବଦ୍ରି କେଦାର ମାଣ୍ଡି କମିଟିର ଉପାଧ୍ୟକ୍ଷ କିଶୋର ପାୱାର କହିଛନ୍ତି ଯେ, ଦେଶର ସୁଖ, ସମୃଦ୍ଧତା ଏବଂ ପ୍ରଗତି ପାଇଁ ପ୍ରତିବର୍ଷ ବଦ୍ରି ନାରାୟଣଙ୍କ ପ୍ରଥମ ପୂଜା ଦେଶର ପ୍ରଧାନମନ୍ତ୍ରୀଙ୍କ ନାମରେ କରାଯାଇଥାଏ।

ବଦ୍ରିନାଥ ଉତ୍ତରାଖଣ୍ଡର ଚମୌଲି ଜିଲ୍ଲାର ଅଳକାନନ୍ଦା ତଟ (Alakananda River) ଉପରେ ଅବସ୍ଥିତ । ଭଗବାନ ବଦ୍ରି ବିଶାଲ କୁ ପଞ୍ଚ ବଦ୍ରି ରେ ପ୍ରଥମ ବଦ୍ରି ବିବେଚନା କରାଯାଏ।  ଏହି ମନ୍ଦିର ନିର୍ମାଣ ସାତରୁ ୯ ଶତାବ୍ଦୀରେ ଏହି ମନ୍ଦିର ନିର୍ମାଣର ପ୍ରମାଣ ଅଛି । ଶାଳିଗ୍ରାମରେ ନିର୍ମିତ ପ୍ରଭୁ ବଦ୍ରିନାରାୟଣଙ୍କ ଏକ ମିଟର ଲମ୍ବା ପ୍ରତିମା ମନ୍ଦିରରେ ସ୍ଥାପିତ ହୋଇଛି। ଏହା ନାରଦ କୁଣ୍ଡରୁ ବାହାର କରିବା ପରେ ଅଷ୍ଟମ ଶତାବ୍ଦୀରେ ଆଦିଗୁରୁ ଶଙ୍କରାଚାର୍ଯ୍ୟଙ୍କ ଦ୍ୱାରା ସ୍ଥାପିତ ହୋଇଥିଲା ବୋଲି ବିଶ୍ୱାସ କରାଯାଏ । ସନାତନ ଧର୍ମର ଅନୁଗାମୀମାନେ ଭଗବାନ ବଦ୍ରି ବିଶାଲଙ୍କ ଉପରେ ବହୁତ ବିଶ୍ୱାସ କରନ୍ତି । ଯେତେବେଳେ ବଦ୍ରି ବିଶାଳଙ୍କ କବାଟ ଖୋଲାଯାଏ, ସେଠାରେ ଭକ୍ତଙ୍କ ଏହିଭଳି ଭିଡ ଜମିଥାଏ । 

ବଡ ଚାରିଧାମ :

ବଦ୍ରୀନାଥ (ଉତ୍ତରାଖଣ୍ଡ), ଦ୍ୱାରିକା(ଗୁଜରାଟ), ଜଗନ୍ନାଥଧାମ(ଓଡ଼ିଶା) ଓ ରାମେଶ୍ୱର(ତାମିଲନାଡୁ)କୁ ବଡ଼ ଚାରିଧାମ କୁହାଯାଏ । ହିନ୍ଦୁ ଧର୍ମରେ ଏହି ଯାତ୍ରାକୁ ପୂଣ୍ୟ ମନାଯାଏ । ପ୍ରତ୍ୟେକ ହିନ୍ଦୁ ନିଜ ଜୀବନ କାଳ ମଧ୍ୟରେ ଏହି ଚାରିଧାମ ଯାତ୍ରା କରିବାକୁ ଆଶା ରଖିଥାନ୍ତି ।

ଛୋଟ ଚାରିଧାମ:

ହିନ୍ଦୁ ସନାତନ ଧର୍ମରେ ଚାରି ଧାମର ଯାତ୍ରାର ରହିଛି ଅନେକ ମହତ୍ବ । ଉତ୍ତରାଖଣ୍ଡରେ ବଦ୍ରୀନାଥଙ୍କ ସହ କେଦାରନାଥ, ଯମୁନେତ୍ରୀ ଓ ଗଙ୍ଗୋତ୍ରୀ ଭଳି ତୀର୍ଥ ସ୍ଥଳ ରହିଛି । ଏହା ଦେବଭୂମିରେ ରହିଥିବାରୁ ଏହି ଯାତ୍ରାକୁ ନେଇ ଅନେକ ମହତ୍ୱ ରହିଛି । ତେଣୁ ଏହାକୁ ଛୋଟ ଚାରିଧାମରେ ନାମିତ କରାଯାଇଛି ।

ମାନ୍ୟତା ଅନୁସାରେ ଏହି ଧାମରେ ଦିବ୍ୟ ଶକ୍ତିର ନିବାସ ରହିଛି । ଏହା ବହୁତ ପବିତ୍ର ସ୍ଥଳ । କେଦାରନାଥ ମନ୍ଦିର ଯେଉଁଠି ଭଗବାନ ଶଙ୍କର ବିଶ୍ରାମ କରୁଥିବାର ବିଶ୍ୱାସ ରହିଛି । ବଦ୍ରୀନାଥଙ୍କ ସୃଷ୍ଟିକୁ ୮ମ ବୈକୁଣ୍ଠ ବୋଲି ମନାଯାଏ । ଯେଉଁଠି ଭଗବାନ ବିଷ୍ଣୁ ୬ ମାସ ପର୍ଯ୍ୟନ୍ତ ନିଦ୍ରାରେ ଏବଂ ୬ମାସ ପର୍ଯ୍ୟନ୍ତ ଅନିଦ୍ରାରେ ରୁହନ୍ତି ।

କେଦାରନାଥ ଧାମ

ଶ୍ରୀ କେଦାରନାଥ ଜ୍ୟୋତିର୍ଲିଙ୍ଗଙ୍କ ମନ୍ଦିର ଗର୍ଭଗୃହର ଭିତରପାଖ କାଠରେ ଆବୃତ।ବର୍ତ୍ତମାନର ମନ୍ଦିର ସମ୍ମୁଖରେ ବିରାଟ ନନ୍ଦୀ ବିଗ୍ରହ ଗର୍ଭଗୃହ ମଧ୍ୟକୁ ମୁଖକରି ବିଜେ କରିଛନ୍ତି । ମନ୍ଦିର ପ୍ରବେଶ ଦ୍ୱାରରେ ବିନାୟକ ମୂର୍ତ୍ତି ଧ୍ୟାନମୁଦ୍ରାରେ ବିରାଜମାନ । ଗର୍ଭଗୃହ ସମ୍ମୁଖ ମଣ୍ଡପରେ ଶ୍ରୀକୃଷ୍ଣ, ଯୁଧିଷ୍ଠିର, ଭୀମ, ଅର୍ଜୁନ, ନକୁଳ, ସହଦେବ ଓ ଦ୍ରୌପଦୀଙ୍କ ମୂର୍ତ୍ତି ଏବଂ ବୀରଭଦ୍ର ସ୍ୱାମୀ, କେଦାରଗୌରୀ ଓ ଅନ୍ୟ ଦେବଦେବୀଙ୍କ ବିଗ୍ରହ ଶୋଭାପାଉଛି ।

ଗର୍ଭଗୃହରେ ଭଗବାନ ଶଙ୍କର ସଦାଶିବ ରୂପରେ ପୂଜା ପାଉଛନ୍ତି । ଶିବଲିଙ୍ଗ ଏକ ବିରାଟ ଗର୍ତ୍ତ ମଧ୍ୟରୁ ଉପରକୁ ଉଠିଥିବା ଏକ ମହିଷିର ପୃଷ୍ଠଭାଗ ସଦୃଶ ଦୃଶ୍ୟମାନ ହୁଅନ୍ତି । ବିରାଜମାନ ଶିବଲିଙ୍ଗର ଆକୃତି ଲମ୍ବରେ ପ୍ରାୟ ୮.୫ଫୁଟ, ଚଉଡାରେ ପ୍ରାୟ ୪ଫୁଟ ଓ ଉଚ୍ଚତାରେ ୪ଫୁଟ ।

ଶ୍ରୀ କେଦାରନାଥ ଜ୍ୟୋତିର୍ଲିଙ୍ଗଙ୍କ ପୂର୍ବାହ୍ନ ଦର୍ଶନକୁ ନିର୍ବାଣ ଦର୍ଶନ କୁହାଯାଏ । ନିର୍ବାଣ ଦର୍ଶନ ସମୟରେ ଭକ୍ତମାନେ ଲିଙ୍ଗକୁ ସ୍ପର୍ଶକରି ପୂଜାର୍ଚ୍ଚନା, ଅଭିଷେକ ଆଦି କରିପାରନ୍ତି । ନିର୍ଦ୍ଧାରିତ ପାଉଣା ଦାଖଲ କଲେ ମନ୍ଦିର କମିଟି ବିଶେଷ ପୂଜା ଓ ଅଭିଷେକର ବ୍ୟବସ୍ଥା କରେଇଥାନ୍ତି । ଜ୍ୟୋତିର୍ଲିଙ୍ଗର ଅପରାହ୍ନ ଦର୍ଶନକୁ ଶୃଙ୍ଗାର ଦର୍ଶନ କୁହାଯାଏ । ଶୃଙ୍ଗାର ଦର୍ଶନ ସମୟରେଜ୍ୟୋତିର୍ଲିଙ୍ଗକୁ ସ୍ପର୍ଶ କରିବା ମନା । ଏହି ସମୟରେ ଜ୍ୟୋତିର୍ଲିଙ୍ଗକୁ ବିବିଧ ପୁଷ୍ପ ଅଳଙ୍କାରରେ ବିଭୁଷିତ କରାଯାଇଥାଏ । ଶୃଙ୍ଗାର ବେଶରେ ପ୍ରଭୁଙ୍କର ସଂଧ୍ୟା ଆଳତି ହୁଏ । ଜ୍ୟୋତିର୍ଲିଙ୍ଗଙ୍କର ଶ୍ରାବଣୀ ଅନ୍ନକୂଟ ମେଳା ରାକ୍ଷୀ ପୂର୍ଣ୍ଣିମା ପୂର୍ବଦିନ ପାଳନ କରାଯାଏ ।

କେଦାର ଉପତ୍ୟକାରେ ପ୍ରବଳ ତୁଷାରପାତ ହେତୁ ଅକ୍ଟୋବର ମାସରୁ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଏହି ଉପତ୍ୟକା ବରଫାବୃତ ହୋଇଯାଏ । ମନ୍ଦିର, ଶିବଲିଙ୍ଗ, ଯାତ୍ରାପଥ ବରଫରେ ଆଚ୍ଛାଦିତ ହୋଇଯାଏ । ତେଣୁ ଏହି ଛଅ ମାସ କେଦାରନାଥଙ୍କ ଦର୍ଶନ ମିଳେନାହିଁ । ଅପ୍ରେଲ ମାସରୁ ସେପ୍ଟେମ୍ବର ମାସ ମଧ୍ୟରେ କେଦାରନାଥ ଜ୍ୟୋତିର୍ଲିଙ୍ଗଙ୍କର ଦର୍ଶନ ମିଳେ।ସାଧାରଣତଃ ଅକ୍ଷୟ ତୃତୀୟା ଦିନ ମନ୍ଦିର ଖୋଲାଯାଇଥାଏ ଏବଂ ଦୀପାବଳି ପରଦିନ ବନ୍ଦକରାଯାଏ । ଗର୍ଭଗୃହରେ ଜ୍ୟୋତିର୍ଲିଙ୍ଗଙ୍କ ସମ୍ମୁଖରେ ଦୀପ ପ୍ରଜ୍ଜ୍ୱଳନ କରାଯାଇ ମନ୍ଦିର ବନ୍ଦ କରାଯାଏ । ଭକ୍ତମାଙ୍କର ବିଶ୍ୱାସ, ଛଅମାସ ପରେ ମନ୍ଦିର ଖୋଲାହେବା ପର୍ଯ୍ୟନ୍ତ ଏହି ଯଜ୍ଞଦୀପ ପ୍ରଜ୍ଜ୍ୱଳିତ ଥାଏ ।

ବଦ୍ରିନାଥ ଧାମ

ବଦ୍ରିନାଥ ମନ୍ଦିର, ଉତ୍ତରାଖଣ୍ଡ ରାଜ୍ୟର ବଦ୍ରିନାଥଠାରେ ଅବସ୍ଥିତ। ଏହା ଭାରତର ଚାରିଧାମ ମଧ୍ୟରେ ଅନ୍ୟତମ । ହିନ୍ଦୁ ଧର୍ମ ବିଶ୍ୱାସରେ ଚାରି ଧାମ ଭିତରେ ଏକ ପ୍ରମୁଖ ଧାମ ବଦ୍ରିନାଥ । ହିମାଳୟ ପାର୍ବତ୍ୟାଞ୍ଚଳରେ ଅଳକାନନ୍ଦା ନଦୀ କୂଳରେ ଅବସ୍ଥିତ ବଦ୍ରିନାଥ ମନ୍ଦିରରେ ପୂଜା ପାଆନ୍ତି ବିଷ୍ଣୁଙ୍କ ମୂର୍ତ୍ତି ବଦ୍ରିନାରାୟଣ । କଳା ଶାଳଗ୍ରାମ ପଥରରେ ନିର୍ମିତ ଏକ ମିଟର ଉଚ୍ଚର ବିଷ୍ଣୁ ମୂର୍ତ୍ତି ସ୍ୱୟଂ ଆବିର୍ଭୂତ ହୋଇଥିବା କୁହାଯାଏ । ସେଥିଲାଗି ଏହି କ୍ଷେତ୍ର ହେଉଛି ଅଷ୍ଟ ସ୍ୱୟଂବ୍ୟକ୍ତ କ୍ଷେତ୍ର ମଧ୍ୟରେ ଅନ୍ୟତମ I ମନ୍ଦିରରେ ବଦ୍ରିବୃକ୍ଷ ତଳେ ଧ୍ୟାନମଗ୍ନ ଅବସ୍ଥାରେ ବସିଛନ୍ତି ଭଗବାନ ବଦ୍ରିନାରାୟଣ । ମସ୍ତକ ଉପରେ ରହିଛି ସ୍ୱର୍ଣ୍ଣ ଚାନ୍ଦୁଆ । ଅତ୍ୟଧିକ ଥଣ୍ଡା ଯୋଗୁଁ ୬ମାସ ବନ୍ଦ ରହେ ବଦ୍ରିନାଥ ମନ୍ଦିର ଏବଂ ଭକ୍ତମାନେ ଠାକୁରଙ୍କ ଦର୍ଶନ ପାଆନ୍ତି ନିକଟବର୍ତ୍ତୀ ଜ୍ୟୋତିର୍ମଠରେ । ମନ୍ଦିରକୁ ଉଠିବା ପୂର୍ବରୁ ସ୍ନାନ ଗୃହ ପରିସରରେ ଥିବା ତପ୍ତକୁଣ୍ଡରେ ସ୍ନାନ କରନ୍ତି ଭକ୍ତ । ଯାହାର ଜଳ ବର୍ଷସାରା ରହିଥାଏ ୪୫ଡିଗ୍ରି ସେଣ୍ଟିଗ୍ରେଡ୍ । ଏହି ଜଳରେ ଔଷଧୀୟ ଗୁଣ ଥାଏ ବୋଲି କହାଯାଏ ।

ଇତିହାସ ଅନୁଯାୟୀ ନବମ ଶତାବ୍ଦୀରେ ତୀର୍ଥଯାତ୍ରାରେ ହିମାଳୟ ଅଞ୍ଚଳକୁ ଆସିଥିବା ଆଦି ଶଙ୍କର ଅଳକାନନ୍ଦା ନଦୀ ଗର୍ଭରୁ ବିଷ୍ଣୁଙ୍କ ମୂର୍ତ୍ତିଟିକୁ ପାଇ ତପ୍ତକୁଣ୍ଡ ନିକଟ ଗୁମ୍ଫାରେ ସ୍ଥାପନା କରିଥିଲେ । ୧୬ଶ ଶତାବ୍ଦୀରେ ଗଡ଼ୱାଲ ରାଜା ମନ୍ଦିର ନିର୍ମାଣ କରି ମୂର୍ତ୍ତିଙ୍କୁ ପ୍ରତିଷ୍ଠା କରାଇଲେ ।

କିମ୍ବଦନ୍ତୀ କହେ ବଦ୍ରିନାଥ ପୀଠରେ ୨୦୦ ବର୍ଷ ଧରି ଭଗବାନ ବିଷ୍ଣୁ ପଦ୍ମାସନରେ ଧ୍ୟାନମଗ୍ନ ରହି ତପସ୍ୟା କରିଥିଲେ । ତାଙ୍କୁ ଛାୟା ପ୍ରଦାନ ପାଇଁ ପାଖରେ ଠିଆ ହୋଇ ରହିଥିଲେ ମା’ଲକ୍ଷ୍ମୀ ଯାହାକି ପରବର୍ତ୍ତୀ ସମୟରେ ବଦ୍ରିବୃକ୍ଷ ରୂପେ ଦଣ୍ଡାୟମାନ । ଚାରିଧାମ ତୀର୍ଥଯାତ୍ରାରେ ପୁଣ୍ୟ ଅର୍ଜନ ହୋଇଥାଏ । ତେଣୁ କେଦାରନାଥ ସହ ବଦ୍ରିନାଥ ଦର୍ଶନ ଭକ୍ତମାନେ କରିଥାନ୍ତି ।[୧]

ମିଶ୍ରି, କାଜୁ, କିସ୍ ମିସ୍ ଆଦି ଶୁଷ୍କ ଫଳ ଏବଂ ତୁଳସୀ ପ୍ରସାଦ ଭାବେ ଅର୍ପଣ କରାଯାଏ ବଦ୍ରିନାରାୟଣଙ୍କୁ । ମନ୍ଦିରର ଏକ ନିଆରା ପରମ୍ପରା ହେଲା ଭାରତର ଅନ୍ୟ ଏକ ପ୍ରାନ୍ତ କେରଳର ନମ୍ବୁଦିରି ବ୍ରାହ୍ମଣ ହେଉଛନ୍ତି ବଦ୍ରିନାଥଙ୍କ ମୁଖ୍ୟ ପୂଜକ ଯାହାଙ୍କୁ କୁହାଯାଏ ରାୱଲ । ତାଙ୍କ ସହ ଗଡେୱାଲ ଡିମ୍‌ରି ପଣ୍ଡିତ ବି ପୂଜାର୍ଚ୍ଚନାରେ ସହାୟତା କରନ୍ତି । ରାୱଲକୁ ସମସ୍ତେ ସମ୍ମାନ କରନ୍ତି, ଏପରିକି ନେପାଳ ରାଜପରିବାର ମଧ୍ୟ । ବାମନ ଦ୍ୱାଦଶୀ ପୂର୍ବରୁ ରାୱଲ ନଦୀ ପାର ହୋଇ ଯିବା ମନା ଏବଂ ବ୍ରହ୍ମଚର୍ଯ୍ୟ ପାଳନ କରିବା ଜରୁରୀ

ଗଙ୍ଗୋତ୍ରୀ ଧାମ

ଉତ୍ତରାଖଣ଼୍ଡର ଉତ୍ତରକାଶୀ ଜିଲ୍ଲାରେ ରହିଛି ତିର୍ଥସ୍ଥଳୀ ଗଙ୍ଗୋତ୍ରୀ । ଗଙ୍ଗୋତ୍ରୀରେ ଥିବା ପ୍ରସିଦ୍ଧ ଗଙ୍ଗାଜୀ ମନ୍ଦିର ସମୂଦ୍ର ପତନ ଠାରୁ 3042 ମିଟର ଉଚ୍ଚରେ ରହିଛି । ଗଙ୍ଗୋତ୍ରୀ ଉତ୍ତରକାଶୀରୁ 100 କିଲୋମିଟର ଦୂରରେ ଅବସ୍ଥିତ । ଏଠାରେ ଥିବା ଗଙ୍ଗା ମନ୍ଦିର ଅଷ୍ଟାଦଶ ଶତାବ୍ଦୀରେ ନିର୍ମାଣ କରାଯାଇଥିଲା । ପ୍ରତିବର୍ଷ ଅକ୍ଟୋବର ମାସରେ ଗଙ୍ଗୋତ୍ରୀରେ ମା ଗଙ୍ଗାମୟାଙ୍କ ମନ୍ଦୀରରେ ସ୍ବତନ୍ତ୍ର ପୂଜାର୍ଚ୍ଚନା କରାଯାଏ । ଏହି ସମୟରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଛୁଟି ଆସନ୍ତି ଏଠାକୁ ମା ଗଙ୍ଗାଙ୍କ ଦର୍ଶନ ପାଇଁ । 

କୁହଯାଏ 12 ଶହ ବର୍ଷ ପୂରୁଣା ଏହି ମନ୍ଦିର । ମନ୍ଦିରର ଇତିହାସ ଆହୁରି ପ୍ରାଚୀନ ବୋଲି ବିଶେଷଜ୍ଞଙ୍କ ମତ । ହଜାର ହଜାର ବର୍ଷ ତଳୁ ଏହି ମନ୍ଦିର ଭାରତ ଭୂମୀର ଏକ ଆଧ୍ୟାତ୍ମିକ କେନ୍ଦ୍ର ରୂପେ ସଦା ବିରାଜମାନ ରହିଛି । ପୂର୍ବରୁ ଦୁର୍ଗମ ଥିବା ଗଙ୍ଗୋତ୍ରୀକୁ 1980 ଦଶକରେ ପ୍ରଥମ ଥର ପାଇଁ ସଡ଼କ ପଥ ନିର୍ମାଣ କରାଯାଇଥିଲା । ଏହା ପରେ ଏଠାକୁ ପର୍ଯ୍ୟଟକ ମାନଙ୍କ ଆଗମନ ଅଧିକକୁ ଅଧିକ ବୃଦ୍ଧି ପାଇଥିଲା । 

ପୌରାଣିକ କଥା ଅନୁସାରେ ଭଗବାନ ଶ୍ରୀରାମଙ୍କ ପୂର୍ବଜ ତଥା ରଘୁବଂଶର ଚକ୍ରବର୍ତ୍ତୀ ରାଜା ଭଗୀରଥ ଏଠାରେ ଭଗବାନ ଶିବଙ୍କ ତପସ୍ୟା କରିଥିଲେ । ସେ ଯେଉଁ ଶିଳାଖଣ୍ଡ ଉପରେ ତପସ୍ୟା କରିଥିଲେ ପରବର୍ତ୍ତୀ ସମୟରେ ସେଠାରେ ହିଁ ମନ୍ଦିର ପ୍ରତିଷ୍ଠା କରାଯାଇଥିଲା । 

ଯମୁନୋତ୍ରୀ ଧାମ

ଉତ୍ତରାଖଣ୍ଡର ଆଉ ଏକ ପ୍ରମୁଖ ତୀର୍ଥସ୍ଥଳୀ ୟମୁନେତ୍ରୀ ଉତ୍ତରକାଶୀ ଜିଲ୍ଲାରେ ଅବସ୍ଥିତ । ଏହା ସମୂଦ୍ର ପତନ ଠାରୁ 3235 ମିଟର ଉଚ୍ଚରେ ଅବସ୍ଥିତ । କୁହାଯାଏ ଏହା ଦେବୀ ଯମୁନାଙ୍କ ମନ୍ଦିର । 

ଉତ୍ତରାଖଣ୍ଡ ଭାରତର ଏକ ସୁନ୍ଦର ତଥା ଶାନ୍ତିପୂର୍ଣ୍ଣ ପର୍ଯ୍ୟଟନ କେନ୍ଦ୍ର । ଦେବଭୂମି ଭାବେ ପରିଚିତ ଏହି ସ୍ଥାନଟି ନିଜର ଶାନ୍ତ ବାତାବରଣ, ମନମୋହକ ଦର୍ଶନୀୟ ସ୍ଥାନ ତଥା ଅପୂର୍ବ ପ୍ରାକୃତିକ ଦୃଶ୍ୟ ପାଇଁ ବେଶ୍‌ ଲୋକପ୍ରିୟତା ହାସଲ କରିପାରିଛି। ଉତ୍ତରାଖଣ୍ଡରେ ପର୍ଯ୍ୟଟନର ବିକାଶ ପାଇଁ କେନ୍ଦ୍ରର ମୋଦି ସରକାର କରିଛନ୍ତି ଅନେକ ଯୋଜନା। ବିଶେଷ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ରମାଗତ ଭାବରେ ଉତ୍ତରାଖଣ୍ଡ ଗସ୍ତ କରି ଏଠାରେ ଚାଲିଥିବା ବିଭିନ୍ନ ବିକାଶ ମୂଳକ କାର୍ଯ୍ୟର ସମୀକ୍ଷା ସହ ଅନେକ ନୂଆ ନୂଆ ପ୍ରୋଜକ୍ଟ ଲଞ୍ଚ୍ କରିଛନ୍ତି।


Also read: The history of kashi: ଉଦଭାଷିତ ଶଙ୍କର ନଗରୀ କାଶୀର ପ୍ରଜ୍ଞାଲୋକ