ଓଡ଼ିଶା ପର୍ବ: ବ୍ରହ୍ମପୁରର ପ୍ରସିଦ୍ଧ ମା ବୁଢ଼ୀ ଠାକୁରାଣୀ ଯାତ୍ରା, ପରମ୍ପରା ଓ ଲୋକ ବିଶ୍ବାସର ଯାତ୍ରା

 

Odisha Festival Berhampur Maa Budhi Thakurani Yatra Samskriti

କ୍ଷିଣ ଓଡ଼ିଶାରେ ବେଶ୍ ପ୍ରସିଦ୍ଧ ମା' ବୁଢୀ ଠାକୁରାଣୀଙ୍କ ଯାତ୍ରା । ପ୍ରାୟ 3 ଶହ ବର୍ଷର ଏହି ପାରମ୍ପରିକ ଯାତ୍ରାକୁ ନେଇ ରହିଛି ଅନେକ କିମ୍ବଦନ୍ତୀ ଓ କାହାଣୀ । ଶ୍ରୀ ଜଗନ୍ନାଥ ସଂସ୍କୃତି ସହିତ ମା'ବୁଢ଼ୀ ଠାକୁରାଣୀଙ୍କ ଯାତ୍ରାର ରହିଛି ଅନେକ ଗୁଢ଼ ସଂଯୋଗ । ପ୍ରାୟ ମାସେ ଧରି ହେଉଥିବା ଏହି ଦ୍ବିବାର୍ଷିକ ଯାତ୍ରାକାଳରେ ଉତ୍ସବ ମୁଖର ହୋଇଥାଏ ଦକ୍ଷିଣ ଓଡ଼ିଶା । ଚଳିତବର୍ଷ ଏପ୍ରିଲ 4 ତାରିଖରୁ ମେ 2 ଯାଏ ହୋଇଛି ମା' ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା । 


ବ୍ରହ୍ମପୁରର ପ୍ରସିଦ୍ଧ ମା' ବୁଢ଼ୀ ଠାକୁରାଣୀ ଯାତ୍ରା


ଯାତ୍ରା ପରମ୍ପରା ଅନୁସାରେ ଝିଅଟିଏ ନିଜ ବାପ ଘରକୁ ଆସିବା ପରି ମା'ଠାକୁରାଣୀ ବାପ ଘରକୁ ଆସିଥାନ୍ତି । ସାହିକୁ ସାହି ବୁଲିଥାନ୍ତି । ଅନେକ ଲୀଳା କରନ୍ତି, ପ୍ରାୟ ମାସେ ରହି ପୁଣି ଶାଶୂଘରକୁ ଫେରିଯାଇଥାନ୍ତି । ମା'ଙ୍କ ବାପ ଘର ଦେଶୀ ବେହେରା ସାହିରେ ସୃଷ୍ଟି ହୋଇଥାଏ ଆଧ୍ୟାତ୍ମିକ ପରିବେଶ । ଭକ୍ତ ଓ ଭଗବତୀଙ୍କ ମଧ୍ୟରେ ଆବେଗିକ ଓ ଭାଗବତ ସମ୍ପର୍କ । ଦୁଇବର୍ଷରେ ଥରେ ହେଉଥିବା ଯାତ୍ରାରେ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ଭକ୍ତ ସାମିଲ ହୋଇଥାନ୍ତି । 


ଉତ୍ସାହ ଉଦ୍ଦୀପନା ମଧ୍ୟରେ ଆରମ୍ଭ ହୋଇଥାଏ ବ୍ରହ୍ମପୁର ବାସିନୀ ମା' ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା । ସହର ସାରା ସୃଷ୍ଟି ହୋଇଥାଏ ଗହଳ ଚହଳ ସାଙ୍ଗକୁ ଆଧ୍ୟାତ୍ମିକମୟ ପରିବେଶ । ଯାତ୍ରା ଆରମ୍ଭରେ ବିଳମ୍ବିତ ରାତିରେ ମା' ବୁଢ଼ୀ ଠାକୁରାଣୀଙ୍କୁ ନିମନ୍ତ୍ରିତ କରି ଆଣିଥାନ୍ତି ଭକ୍ତ ଓ ଶ୍ରଦ୍ଧାଳୁ । ଏକ ଚିତ୍ରିତ ଚାଙ୍ଗୁଡ଼ିରେ ମା'ଙ୍କ ସବୁଠୁ ପ୍ରିୟ ଇଟିମାଳ ଫୁଲର ମାଳ ନେଇ ମୁଖ୍ୟ ମନ୍ଦିର ଅଭିମୁଖେ ବାହାରିଥାନ୍ତି ବୁଢ଼ୀ ଠାକୁରାଣୀଙ୍କ ମାନବୀ ମା' ଓ ବାପା । ଘଣ୍ଟ ଝାଞ୍ଜର ନିନାଦ ସହିତ ଏକ ବିରାଟ ପଟୁଆର ମା'ଙ୍କ ମନ୍ଦିର ନିକଟରେ ପହଞ୍ଚିବା ପରେ ଆରମ୍ଭ ହୋଇଥାଏ ପୂଜାପାଠ ଓ ନିମନ୍ତ୍ରଣ । ପ୍ରବଳ ଭିଡ଼ ଭିତରେ ମା'ଙ୍କୁ ଦର୍ଶନ କରିବା ପାଇଁ ଭକ୍ତଙ୍କ ମନରେ ଦେଖିବାକୁ ମିଳିଥାଏ ବ୍ୟାକୁଳତା । ସଜ ଫୁଲରେ ସଜ୍ଜିତ ହୋଇଥାଏ ମନ୍ଦିର ଓ ବିଗ୍ରହ । ମା' ନିଜ ବାପ ଘରକୁ ଯାଉଥିବାରୁ ମନ୍ଦିରରେ ନାନା ପ୍ରକାର ବିଧି ପାଳିତ ହୋଇଥାଏ । ଏପଟେ ଶାଶୂଘରେ ମା'ଙ୍କୁ ସ୍ୱାଗତ ପାଇଁ ସଜେଇ ହୋଇ ରହିଥାଏ ପିତ୍ରାଳୟର ଅସ୍ଥାୟୀ ମଣ୍ଡପ ।


ନିମନ୍ତ୍ରଣ ରଖି ସ୍ଵଇଛାରେ ବାପ ଘରକୁ ବୁଲି ଆସିବା ପାଇଁ ଆଜ୍ଞାମାଳ ରୂପରେ ସ୍ୱୀକୃତି ଦେଇଥାନ୍ତି ମା' । ଚିତ୍ରିତ ନୂଆ ଚାଙ୍ଗୁଡ଼ିରେ ଥିବା ଇଟିମାଳ ଫୁଲହାରରେ ଅବସ୍ଥାନ କରି ଅସ୍ଥାୟୀ ମନ୍ଦିର ଅଭିମୁଖେ ପଟୁଆରରେ ଆସୁଥାନ୍ତି ମା' । ଚାଙ୍ଗୁଡିରେ ସାମୟିକ ଭାବେ ଅବସ୍ଥାନ କରିବା ପରେ ମା' ଘଟରେ ସଂସ୍ଥାପିତ ହୋଇଥାନ୍ତି ।  ମା'ଙ୍କ ଆଗମନ ସମ୍ପର୍କରେ ପୂର୍ବରୁ ନଗରବାସୀଙ୍କୁ ଡେଙ୍ଗୁରା ମାଧ୍ୟମରେ ସୂଚନା ଦିଆଯାଇଥାଏ । ଗୋବରରେ ଲିପାପୋଛା ସହିତ ଘରେ ଘରେ ପଡିଥାଏ ଝୋଟି ଚିତା । ବାପଘର ଦେଶୀ ବେହେରା ସାହିରେ ମା'ଙ୍କ ପାଇଁ ତିଆରି ହୋଇଥାଏ ମଣ୍ଡପ । 


Odisha Festival Berhampur Maa Budhi Thakurani Yatra 2 Samskriti


ପରମ୍ପରା ଓ ଲୋକ ବିଶ୍ବାସର ଯାତ୍ରା


ଗଣପର୍ବ ପରି ପାଳିତ ହୋଇଥାଏ ମା'ବୁଢୀ ଠାକୁରାଣୀଙ୍କ ଯାତ୍ରା । ବ୍ରହ୍ମପୁର ଦେଶୀ ବେହେରା ସାହିରୁ ଆରମ୍ଭ କରି ବ୍ରହ୍ମପୁରର ଗଳିକନ୍ଦିରେ ଯାତ୍ରାର ମାହୋଲ ଦେଖିବାକୁ ମିଳିଥାଏ । ପ୍ରତିଦିନ ସଂଧ୍ୟାରେ ମା'ସାହି ପରିକ୍ରମା କରିଥାନ୍ତି । ସାହିରେ ବିରାଟ ରଥ ଓ ବିରାଟ କଳାକୁଞ୍ଜ ସ୍ଥାପନ ହୋଇଥାଏ । ଏହାସହିତ ଆୟୋଜିତ ହୋଇଥାଏ ମିନାବଜାର । ମା' ଯାତ୍ରାରେ ଦେଖିବାକୁ ବିଭିନ୍ନ ନିଆରା ପରମ୍ପରା । ବିଭିନ୍ନ ରଙ୍ଗରେ ଚିତ୍ରିତ ହୋଇଥିବା ଶିଶୁ ଓ ବୟସ୍କ ବ୍ୟକ୍ତିଙ୍କୁ ଦେଖିବାକୁ ମିଳିଥାଏ । ବିଭିନ୍ନ ପୌରାଣିତ ଚରିତ୍ରରେ ସଜ୍ଜିତ ହୋଇଥାନ୍ତି ଲୋକେ । ଶ୍ରୀରାମ, ଶ୍ରୀକୃଷ୍ଣ, ନାରଦ, ରାବଣ, ପର୍ଶୁରାମ, ହନୁମାନ ବେଶ ସହିତ ଦେଖିବାକୁ ମିଳିଥାଏ ବାଘବେଶ,ଲଣ୍ଡାବେଶ ଓ ଭୂତବେଶଧାରୀ ଭକ୍ତଙ୍କୁ । 


ମା' ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ବାହାରିବାର ପ୍ରାୟ ୨୦ ଦିନ ପରେ ଯାତ୍ରାରେ ଭୂତ ଓ ଡ଼ାହାଣୀ ବେଶଧାରୀଙ୍କୁ ଦେଖିବାକୁ ମିଳିଥାଏ । ଭୂତ ବେଶ, ପିଲାଖାଇ ଡ଼ାହାଣୀ ବେଶ, ବାଘ ବେଶ ସହିତ ବିଭିନ୍ନ ଦେବାଦେବୀଙ୍କ ବେଶ ଧାରଣ କରିଥାନ୍ତି ମାନସିକଧାରୀ। ରାତିର କିଟିକିଟି ଅନ୍ଧାରରେ ସାହିକୁ ସାହି ବୁଲି ବୁଲି ଲୋକଙ୍କୁ ଭୟଭୀତ କରାଇଥାନ୍ତି ଭୂତବେଶଧାରୀ । ଏହି ଦୁଇଟି ବେଶ ମାନସିକ ପୂରଣ ନିମନ୍ତେ ଭକ୍ତ ବେଶଧାରଣ କରିଥାନ୍ତି । 


ଯାତ୍ରାର 21 ତମ ଦିନରେ  କନ୍ୟା ରତ୍ନ ପୂଜା ପରମ୍ପରା ଦେଖିବାକୁ ମିଳେ। ଯାତ୍ରା ଆରମ୍ଭରୁ ଶେଷ ଯାଏ, କନ୍ୟା ରତ୍ନ ପୂଜା ପରମ୍ପରାକୁ ଗୁରୁତ୍ବ ଦିଆଯାଇଥାଏ। ପୁରାତନ କାଳରୁ ମାତୃ ଜାତିକୁ ସମାଜରେ ଗୁରୁତ୍ବ ଦିଆଯାଉଥିଲା, ଏହି ପରମ୍ପରାରୁ ପ୍ରମାଣ ମିଳିଥାଏ । କିମ୍ବଦନ୍ତୀ ଅନୁସାରେ ଦେଶୀ ବେହେରା ସାହିକୁ କନ୍ୟା ରୂପେ ପ୍ରତି ଦୁଇ ବର୍ଷକୁ ଥରେ ବୁଢ଼ୀ ଠାକୁରାଣୀ ନିଜ ବାପ ଘରକୁ ଆସି ଥାଆନ୍ତି । ମା’ ନିଜେ ଜଣେ ଝିଅ ହୋଇଥିବାରୁ ଯାତ୍ରାରେ ଝିଅମାନଙ୍କୁ ବେଶ ଗୁରୁତ୍ବ ଦିଆଯାଇଥାଏ । ବିବାହିତା କନ୍ୟା ଓ ସେମାନଙ୍କ ଶ୍ବଶୁରଘର ଲୋକଙ୍କୁ ଯାତ୍ରାକୁ ନିମନ୍ତ୍ରଣ କରିବା ପାଇଁ କନ୍ୟାପିତାମାନେ ମାନସିକ ରଖିଥାଆନ୍ତି। ଏହା ସହ ସାଧ୍ୟମତେ ନୂଆ ଲୁଗା ଓ ଉପହାର ଦେଇ ଥାଆନ୍ତି । ଯାତ୍ରା ସମୟରେ ଯାହା ଘରକୁ ଯେତେ ଅଧିକ ଅତିଥି ଆସନ୍ତି, ତାଙ୍କୁ ସେତେ ପୂଣ୍ୟ ମିଳିଥାଏ ବୋଲି ବିଶ୍ବାସ ରହିଛି । ଏହାସହ ଠାକୁରାଣୀଙ୍କର ଯାତ୍ରା ସମୟରେ ସବୁ କାର୍ଯ୍ୟ ମହିଳାମାନଙ୍କଦ୍ବାରା ହିଁ ସମ୍ପାଦିତ ହୋଇଥାଏ ।ଯେପରି କି, ମା’ଙ୍କ ମୂଳ ମନ୍ଦିରରୁ ଅସ୍ଥାୟୀ ମନ୍ଦିରକୁ ମା’ଙ୍କୁ ଆଣିବା, ପ୍ରତିଦିନ ସନ୍ଧ୍ୟାରେ ଘଟ ପରିକ୍ରମା କରିବା, ଝୋଟି ମୁରୁଜ ଓ ଝାଡୁରେ ମଣ୍ଡପ ଚାରିପାଖ ସଫାକରିବା, ମଣ୍ଡପରେ ପ୍ରତିଦିନ ହଳଦୀ ଚନ୍ଦନ ଲେପ କରିବା କାର୍ଯ୍ୟ ସହ ଭୁବନେଶ୍ବରୀ ପୂଜାରେ ବସିବାଠାରୁ ଆରମ୍ଭ କରି ଘଟକୁ ଧରି ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବା ସମସ୍ତ କାର୍ଯ୍ୟ ମହିଳାଙ୍କଦ୍ବାରା ହିଁ ସମ୍ପାଦିତ ହୋଇଥାଏ । ଏଥିପାଇଁ ମହିଳାମାନେ ଦୁଇବର୍ଷ ପୂର୍ବରୁ ମାନସିକ ରଖିଥାନ୍ତି । ମାନସିକ ମୁଖ୍ୟତଃ ପରିବାରର ମଙ୍ଗଳ କାମନା ପାଇଁ  ତ କିଏ କିଏ ପୁତ୍ର ବା କନ୍ୟା ସନ୍ତାନ ପ୍ରାପ୍ତି ପାଇଁ କରିଥାନ୍ତି ।


Odisha Festival Berhampur Maa Budhi Thakurani Yatra 3 Samskriti


3 ଶହ ବର୍ଷର ପାରମ୍ପରିକ ଯାତ୍ରା

ଠାକୁରାଣୀଙ୍କ ଯାତ୍ରା ସମୟରେ ରାତିରେ ମା'ଙ୍କ ସାହି ପରିକ୍ରମା ସମୟରେ ଶତାଧିକ ବେଶଧାରୀଙ୍କୁ ଦେଖିବାକୁ ମିଳିଥାଏ । ବିଭିନ୍ନ ବେଶଧାରୀଙ୍କ ମଧ୍ୟରେ ବାଘବେଶ ଶ୍ରଦ୍ଧାଳୁଙ୍କ ମନ ମୋହିଥାଏ । ବାଘବେଶ ସହ ଚାଙ୍ଗୁବାଦ୍ୟର ତାଳେ ତାଳେ ବାଘନାଚର ଦୃଶ୍ୟ ଦେଖିବାକୁ ଗଳିକନ୍ଦିରେ ପ୍ରବଳ ଭିଡ଼ ଜମିଥାଏ । 


ପରାମ୍ପରା ଅନୁଯାୟୀ ଯାତ୍ରା ଶେଷ ହେବାର ଗୋଟିଏ ଦିନ ପୂର୍ବରୁ ବୁଦ୍ଧ ବେଶଧାରୀଙ୍କୁ ଦେଖିବାକୁ ମିଳିଥାଏ । ବୁଦ୍ଧ ବେଶ ବାହାରିଲେ, ଯାତ୍ରା ଶେଷ ହେଉଥିବା ଲୋକେ ଜାଣିଥାନ୍ତି। ୧୯୬୩ ମସିହାରୁ ଏହି ପରମ୍ପରା ଚାଲି ଆସୁଛି । ବେଶ ପରମ୍ପରା ଦ୍ୱାରା ସମାଜରେ ଶାନ୍ତି ଶୃଙ୍ଖଳା ତଥା ସମଗ୍ର ମାନବ ସମାଜର ଉନ୍ନତି ବାର୍ତ୍ତା ପ୍ରଚାର କରାଯାଇଥାଏ। ଲଣ୍ଡା ମୁଣ୍ଡ ଓ ଦେହରେ ଗେରୁଆ ଲୁଗା ପିନ୍ଧି, ହାତରେ ଭିକ୍ଷା ଥାଳ ଧରି ମୁହଁରେ ବୁଦ୍ଧଂ ଶରଣଂ ଗଛାମି, ସଂଘଂ ଶରଣମ୍ ଗଛାମି କହି ବେଶଧାରୀ  ସାହିକୁ ସାହି ବୁଲିଥାନ୍ତି । ପ୍ରଥା ଅନୁଯାୟୀ ଜଣେ ବ୍ୟକ୍ତି ଥରେ ବେଶ ହେଲେ ସେହି ବର୍ଷର ଯାତ୍ରାରେ ତିନି  ଥର ବେଶ ହେବାକୁ ପଡ଼ିଥାଏ । ଶତାଧିକ ବ୍ୟକ୍ତି ବିଶେଷ ବୁଦ୍ଧ ବେଶରେ ବାହାରିବା ସହ ସହର ପରିକ୍ରମା କରି ବ୍ରହ୍ମପୁର ବୁଢ଼ୀ ଠାକୁରାଣୀ ଙ୍କ ନିକଟରେ ପହଞ୍ଚି ଦର୍ଶନ କରିଥାନ୍ତି । 


ଏଭଳି ଅନନ୍ୟ ପରମ୍ପରା ରାଜ୍ୟ, ଦେଶ ପାଇଁ ଗୌରବ । ପ୍ରାୟ ମାସେ ଧରି ଆୟୋଜିତ ଠାକୁରାଣୀ ଯାତ୍ରା ଓଡ଼ିଶା ସଂସ୍କୃତିର ଅଭିନ୍ନ ଅଙ୍ଗ ବନିଯାଇଛି ।