ଚୈତ୍ର ଶୁକ୍ଲପକ୍ଷ ନବମୀ ତିଥି- ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଜନ୍ମୋତ୍ସବ - ରାମନବମୀ

 

Ram Navami 2023


ରାମନବମୀ: ଚୈତ୍ର ଶୁକ୍ଲପକ୍ଷ ନବମୀ ତିଥି । ମର୍ଯ୍ୟାଦା ପୁରୁଷ ଶ୍ରୀରାମଚନ୍ଦ୍ରଙ୍କ ଜନ୍ମଦିବସ । ହିନ୍ଦୁ ପଞ୍ଚାଙ୍ଗ ବା ପାଞ୍ଜି ଅନୁସାରେ, ଚୈତ୍ର ମାସ ଶୁକ୍ଳ ପକ୍ଷ ନବମୀ ତିଥିରେ ପାପର କ୍ଷୟ ପାଇଁ ଧରାପୃଷ୍ଠକୁ ଓହ୍ଲାଇଥିଲେ ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ର । ଯେଉଁ ତିଥିରେ ଭାରତବର୍ଷରେ ରାମନବମୀ ଭାବେ ପାଳିତ ହୁଏ । ପୌରାଣିକ ମାନ୍ୟତା ଅନୁସାରେ,ଏହି ଦିନ ପୁନର୍ବସ୍ତୁ ନକ୍ଷତ୍ର ଓ କର୍କଟ ଲଗ୍ନରେ ଅଯୋଧ୍ୟାରେ ରାଜା ଦଶରଥଙ୍କ ଘରେ ଭଗବାନ ବିଷ୍ଣୁଙ୍କ ସପ୍ତମ ଅବତାର ପ୍ରଭୁ ଶ୍ରୀରାମଙ୍କ ଜନ୍ମ ହୋଇଥିଲା । ଚଳିତବର୍ଷ ରାମନବମୀ 30 ମାର୍ଚ୍ଚରେ ପଡୁଛି । ଅଯୋଧ୍ୟାରେ ଚୈତ୍ର ନବରାତ୍ର ସହ ନଅଦିନ ବ୍ୟାପୀ ଭଜନ କୀର୍ତ୍ତନ, ଅଖଣ୍ଡ ରାମଚରିତ ମାନସ ପାଠ ଜାରି ରହିଛି । 

ରାମ ରାମ ରାମେତି ରମେ ରାମେ ମନୋରମ । ସହସ୍ରନାମ ତତୁଲ୍ୟ ରାମନାମ ବରାନନେ ।।


ପୌରାଣିକ କଥା ଅନୁସାରେ, ଲଙ୍କା ରାଜା ରାବଣର ଅତ୍ୟାଚାରରେ ମଣିଷଙ୍କ ସମେତ ଦେବତା ମଧ୍ୟ ବ୍ୟଥିତ ଥିଲେ । କାରଣ ରାବଣ ବ୍ରହ୍ମାଙ୍କଠାରୁ ଅମର ହେବାର ବରଦାନ ପ୍ରାପ୍ତ ହୋଇଥିଲା । ରାବଣକୁ ନିଜ କର୍ମର ଫଳ ଦେବାପାଇଁ ଭଗବାନ ବିଷ୍ଣୁ ପ୍ରଭୁ ଶ୍ରୀରାମଙ୍କ ରୂପରେ ଜନ୍ମ ନେବାକୁ ନିଷ୍ପତି ନେଇଥିଲେ । ଅଯୋଧ୍ୟାରେ ଶ୍ରୀରାମ ଚୈତ୍ର ଶୁକ୍ଲପକ୍ଷ ନବମୀ ତିଥିରେ ରାଣୀ କୌଷଲ୍ୟାଙ୍କ ଗର୍ଭରୁ ରାଜା ଦଶରଥଙ୍କ ଘରେ ଜନ୍ମ ହୋଇଥିଲେ । ଏଥିପାଇଁ ଅଯୋଧ୍ୟାକୁ ପୁଣ୍ୟ ନଗରୀର ମାନ୍ୟତା ମିଳେ ।


ଭଗବାନ ଶ୍ରୀରାମଙ୍କ ଜନ୍ମ ପୃଥିବୀରେ ଦୁଷ୍ଟ ପ୍ରାଣୀଙ୍କ ବିନାଶ ପାଇଁ ହୋଇଥିଲା । ତାଙ୍କୁ ମର୍ଯ୍ୟାଦା ପୁରୁଷୋତ୍ତମ କୁହାଯିବାର କାରଣ ସେ ନିଜ ଜୀବନ କାଳ ମଧ୍ୟରେ ଅନେକ କଷ୍ଟ ସହି ଜୀବନର ସର୍ବଶ୍ରେଷ୍ଠ ଉଦାହରଣ ସୃଷ୍ଟି କରିଥିଲେ । ବିପରୀତ ପରିସ୍ଥିତିରେ ମଧ୍ୟ ନିଜ ଆଦର୍ଶକୁ ତ୍ୟାଗ କରିନଥିଲେ ଏବଂ ମର୍ଯ୍ୟାଦାରେ ଅଟଳ ରହି ଜୀବନ ନିର୍ବାହ କରିଥିଲେ । ତେଣୁ ତାଙ୍କୁ ଉତ୍ତମ ପୁରୁଷର ସ୍ଥାନ ଦିଆଯାଇଥାଏ । 


ଚୈତ୍ର ଶୁକ୍ଳ ନବମୀରେ ରାମଚନ୍ଦ୍ରଙ୍କ ଜନ୍ମୋତ୍ସବ ପାଳନ ପାଇଁ ସୁସଜ୍ଜିତ ହୋଇଛି ଅଯୋଧ୍ୟା ନଗରୀ । ତ୍ରେତୟା ଯୁଗରେ ଅଯୋଧ୍ୟାର ରାଜା ଥିଲେ ଦଶରଥ । ତାଙ୍କର ତିନିରାଣୀ କୌଶଲ୍ୟା, କୈକେୟୀ ଓ ସୁମିତ୍ରା । ସନ୍ତାନ ନଥିବାରୁ ରାଜା ଦଶରଥ ଚିନ୍ତିତ ଥିଲେ । ଭାଗିରଥି କୁଳରେ ଉତ୍ତରାଧିକାରୀ ପାଇବା ପାଇଁ କୁଳଗୁରୁ ବଶିଷ୍ଠଙ୍କ ଶରଣାଗତ ହୋଇଥିଲେ ମହାରାଜ ଦଶରଥ ।  ସନ୍ତାନ ପ୍ରାପ୍ତି ନିମନ୍ତେ ଋଷି ଶୃଙ୍ଗଙ୍କଦ୍ୱାରା ପୁତ୍ରେଷ୍ଟି ଯଜ୍ଞ କରିବାକୁ ଦଶରଥଙ୍କୁ ପରାମର୍ଶ ଦେଇଥିଲେ ଗୁରୁ ବଶିଷ୍ଠ । 


ରାଜା କୁଳଗୁରୁଙ୍କ ଉପଦେଶ ଅନୁସାରେ ମହାନ୍ ଋଷି ଋଷିଶୃଙ୍ଗଙ୍କୁ ଅଯୋଧ୍ୟାରେ ଯଜ୍ଞ କରିବାକୁ ତାଙ୍କ ଆଶ୍ରମକୁ ଯାଇ ପ୍ରାର୍ଥନା କଲେ । ବଶିଷ୍ଠ ଓ ଋଷିଶୃଙ୍ଗଦ୍ୱାରା ପୁତ୍ରେଷ୍ଟି ଯଜ୍ଞ ସମାପନ ପରେ ଯଜ୍ଞେଶ୍ୱର ଯଜ୍ଞକୁଣ୍ଡରୁ ଆବିର୍ଭୂତ ହୋଇ ଦଶରଥଙ୍କୁ ଏକ ଚରୁଅନ୍ନପୂର୍ଣ୍ଣ ପାତ୍ର ପ୍ରଦାନ କରି ରାଣୀମାନଙ୍କୁ ସେବନ କରିବାକୁ କହିଥିଲେ । ଦଶରଥ ଅଧା ଚରୁଅନ୍ନ କୌଶଲ୍ୟାଙ୍କୁ ଓ ଅନ୍ୟଅଧା ଭାଗକୁ କୈକେଇଙ୍କୁ ପ୍ରଦାନ କଲେ । କୌଶଲ୍ୟା ଓ କୈକେୟୀ ନିଜନିଜର ଚରୁଅନ୍ନର ଅଧାଭାଗରୁ କନିଷ୍ଠା ରାଣୀ ସୁମିତ୍ରାଙ୍କୁ ସେବନ କରିବାକୁ ଦେଇଥିଲେ । 


ଏହାର କିଛିଦିନ ପରେ ତିନିରାଣୀ ଅନ୍ତଃସତ୍ତ୍ୱା ହେଲେ । ପବିତ୍ର ଚୈତ୍ର ନବମୀଦିନ ଦ୍ୱିପ୍ରହରରେ କୌଶଲ୍ୟା ପ୍ରଭୁ ରାମଚନ୍ଦ୍ରଙ୍କୁ, କୈକେୟୀ ଭରତଙ୍କୁ ଓ ସୁମିତ୍ରା ଯମଜ ସନ୍ତାନ ଲକ୍ଷ୍ମଣ ଓ ଶତ୍ରୁଘ୍ନଙ୍କୁ ଜନ୍ମ ଦେଇଥିଲେ । ବିଷ୍ଣୁଙ୍କ ସପ୍ତମ ଅବତାର ପ୍ରଭୁ ରାମଚନ୍ଦ୍ର ଅଧର୍ମର ବିଲୋପ ଓ ରାବଣ ପରି ରାକ୍ଷାସଙ୍କୁ ସଂହାର କରିବାକୁ ପୃଥିବୀପୃଷ୍ଟରେ ଅବତରଣ କରିଥିଲେ । ବୟଃପ୍ରାପ୍ତ ହେବାପରେ ପ୍ରଭୁ ରାମଚନ୍ଦ୍ର ମିଥିଳା ନରେଶ ରାଜର୍ଷି ଜନକଙ୍କ ଦୁହିତା ଦେବୀ ସୀତାଙ୍କୁ ବିବାହ କରିଥିଲେ । ବାଲ୍ମିକୀ ରାମାୟଣ ଅନୁସାରେ ମାର୍ଗଶିର ଶୁକ୍ଳପଞ୍ଚମୀ ଦିନ ବିବାହ ଅନୁଷ୍ଠିତ ହୋଇଥିଲା । ରାଜସୁଖକୁ ପରିହାର ପୂର୍ବକ ପିତୃସତ୍ୟ ପାଳନ କରି ଚଉଦ ବର୍ଷ ରାମଚନ୍ଦ୍ର ଦେବୀ ସୀତା ଓ ଅନୁଜ ଲକ୍ଷ୍ମଣଙ୍କୁ ସାଙ୍ଗରେ ଧରି ବନବାସରେ ବିତାଇଥିଲେ । 


ଦଣ୍ଡକାରଣ୍ୟରେ ଅବସ୍ଥାନ କାଳରେ ଶ୍ରୀରାମ ଓ ଅନୁଜ ଲକ୍ଷ୍ମଣଙ୍କ ଅନୁପସ୍ଥିତିରେ ଦୁରାଚାରୀ ରାବଣ ମାତା ସୀତାଙ୍କୁ ସୁବର୍ଣ୍ଣ ହରିଣ ଚକ୍ରାନ୍ତ କରି ଅପହରଣ କରିନେଇଥିଲା । ରାବଣ ଓ ସମସ୍ତ ରାକ୍ଷାସଙ୍କୁ ନିପାତ କରି ମାତା ସୀତାଙ୍କୁ ଉଦ୍ଧାର ବେଳକୁ ଚଉଦ ବର୍ଷର ବନବାସ ସମ୍ପୂର୍ଣ୍ଣ ହୋଇଯାଇଥିଲା । ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ କରି ରାଜସିଂହାସନରେ ଅଭିସିକ୍ତ ହୋଇ ରାଜଧର୍ମ ପାଳନ ପାଇଁ ସମୟ ଉପନୀତ ହୋଇଥିଲା । 


କିନ୍ତୁ ପ୍ରଜାକୁଳକୁ ସମ୍ମାନ ଜଣାଇବାକୁ ଯାଇ ଲଙ୍କାରୁ ଉଦ୍ଧାର ସମୟରେ ସୀତା ଅଗ୍ନିପରୀକ୍ଷା ଦେଇଥିଲେ ମଧ୍ୟ ତାଙ୍କୁ ନିର୍ବାସନ ଦଣ୍ଡ ଦେଇଥିଲେ । ଶ୍ରୀରାମଙ୍କ ତାଙ୍କ ଅବତାରରେ ସଂପୂର୍ଣ୍ଣ ମାନବଜୀବନ ଯାପନ କରିଥିଲେ ।