Last Updated: 22nd Jan.2024
RAM MANDIR HISTORY IN ODIA- 2024 ଜାନୁଆରୀ 22ରେ ଅପେକ୍ଷାର ଅନ୍ତ
ପୂର୍ଣ୍ଣ ହେଲା ସଂକଳ୍ପ, ଦୀର୍ଘ ଅପେକ୍ଷାର ହୋଇଛି ଅନ୍ତ । ଅଯୋଧ୍ୟା ଶ୍ରୀରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହୋଇଛି । ଜୟ ଶ୍ରୀରାମ ଧ୍ବନିରେ ମୁଖରିତ ହେଉଛି ଅଯୋଧ୍ୟା ଆକାଶ । କାରଣ 2024 ମସିହା ଜାନୁଆରୀ 22 ତାରିଖରେ ଭୂତଳ ଗର୍ଭଗୃହରେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ହୋଇଛି । ଆକାଶ ଛୁଉଁଛି ସେହି ରାମ ମନ୍ଦିର, ଦୀର୍ଘ ପାଞ୍ଚ ଶହ ବର୍ଷ ଧରି ଯେଉଁ ରାମ ମନ୍ଦିରର ସ୍ବପ୍ନ ଦେଖିଥିଲେ ଭାରତବାସୀ ।
ଶ୍ରୀରାମ ଜନ୍ମଭୂମିରେ ପୁଣି ସଗର୍ବେ ଫରଫର ହୋଇ ଲହରୁଛି ସନାତନୀ ଧ୍ବଜା । ସାକାର ହୋଇଛି ଭାରତବାସୀଙ୍କ ଦୀର୍ଘ 5 ଶହ ବର୍ଷର ସ୍ବପ୍ନ । ଇତିହାସ ପୃଷ୍ଠାରେ ସ୍ବର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ ହୋଇଛି ଆଉ ଏକ ତାରିଖ-2024 ମସିହା ଜାନୁଆରୀ 22 ତାରିଖ । ଭାରତର ପ୍ରାଣ, ବିଶ୍ବାସର ଆଧାର, ଇତିହାସର କେନ୍ଦ୍ର ଅଯୋଧ୍ୟା ମାଟି ଉପରେ କେନ୍ଦ୍ରିଭୂତ ହୋଇଛି ସାରା ବିଶ୍ବର ନଜର । ଜୟ ଶ୍ରୀରାମ ଧ୍ବନିରେ ପ୍ରକମ୍ପିତ ହେଉଛି ଆକାଶ । ସାରା ବିଶ୍ବ ଦେଖିଲା ଆଦି ଓ ଅନନ୍ତର ଶକ୍ତି, ସନାତନର ପରାକାଷ୍ଠା। ପୁଣିଥରେ ଜନ୍ମସ୍ଥାନରେ ଭବ୍ୟ ଉତ୍ସବରେ, ଦିବ୍ୟ ମୁହୂର୍ତ୍ତରେ ହୋଇଛି ରାମଲଲାଙ୍କ ପ୍ରାଣପ୍ରତିଷ୍ଠା ।
ପୂର୍ଣ୍ଣ ହେଲା ସଂକଳ୍ପ
ଯେତେବେଳେ ଅଯୋଧ୍ୟାରେ ଶ୍ରୀରାମ ମନ୍ଦିରର ନିର୍ମାଣ ପାଇଁ ସୁପ୍ରିମକୋର୍ଟ ନିଷ୍ପତ୍ତି ଶୁଣାଇଥିଲେ, ସେତେବେଳେ ଭକ୍ତଙ୍କ ମନରେ ଖେଳିଯାଇଥିଲା ଖୁସିର ଲହରୀ । ଏହାସହିତ 9 ନଭେମ୍ବର 2019 ଓ 5 ଅଗଷ୍ଟ 2020 ତାରିଖ ଭାରତ ଇତିହାସରେ ସ୍ବର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ ହୋଇଥିଲା । କାରଣ 9 ନଭେମ୍ବରରେ ସୁପ୍ରିମକୋର୍ଟ ଐତିହାସିକ ନିଷ୍ପତ୍ତି ଶୁଣାଇଥିଲେ ଏବଂ 5 ଅଗଷ୍ଟରେ ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ହୋଇଥିଲା ଭୂମି ପୂଜନ । କିନ୍ତୁ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣର ଯାତ୍ରା ଏତେ ସହଜ ନଥିଲା । 1528ରୁ 2019 ରାମ ମନ୍ଦିରର 491 ବର୍ଷର ଇତିହାସର ପ୍ରତି ପୃଷ୍ଠା ଭକ୍ତ ଓ କରସେବକଙ୍କ ରକ୍ତରେ ରଞ୍ଜିତ ହୋଇଛି ।
492 ବର୍ଷର ସଂକଳ୍ପ ଓ ସଂଘର୍ଷ
ଜୟ ଶ୍ରୀରାମ ଧ୍ବନିରେ ମୁଖରିତ ଅଯୋଧ୍ୟା ଆକାଶ । ଗଢ଼ା ଚାଲିଛି ସ୍ବପ୍ନର ମନ୍ଦିର । ଜନ୍ମସ୍ଥାନ ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ମନ୍ଦିରର ପୁନର୍ନିମାଣ ଜାରି ରହିଛି । ପଞ୍ଚଦଶ ଶତାବ୍ଦୀରୁ ଯେଉଁ ରାମ ମନ୍ଦିରର ସ୍ବପ୍ନ ଦେଖିଆସୁଥିଲେ ଭାରତବାସୀ । ଭାରତ ଇତିହାସରେ 9 ନଭେମ୍ବର 2019 ଓ 5 ଅଗଷ୍ଟ 2020ର ତାରିଖ ସ୍ବର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ ହୋଇଥିଲା । କାରଣ 9 ନଭେମ୍ବରରେ ସୁପ୍ରିମକୋର୍ଟ ଐତିହାସିକ ନିଷ୍ପତ୍ତି ଶୁଣାଇଥିବାବେଳେ 5 ଅଗଷ୍ଟରେ ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । 1528ରୁ 2019, ଦୀର୍ଘ 491 ବର୍ଷର ଇତିହାସର ମୁଖପତ୍ରରେ ସ୍ଥାନିତ ହୋଇଛି ଆଉ ଏକ ତାରିଖ 2024 ଜାନୁଆରୀ 22 । ଏହି ଦିବସରେ ଅଯୋଧ୍ୟାରେ ରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ହୋଇଛି ।
ଇତିହାସରେ ସ୍ବର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ ତିଥି ଓ ତାରିଖ
ଅଯୋଧ୍ୟା ନରେଶ ଭଗବାନ ଶ୍ରୀରାମ ଜନ୍ମଭୂମି ମନ୍ଦିରର ପୁରା ଇତିହାସ ବୟାନ କରିବା ଅସମ୍ଭବ । କାରଣ, କେବଳ ମନ୍ଦିରର ଐତିହାସିକ ଏବଂ ଆଇନଗତ ମହତ୍ତ୍ବକୁ ଦର୍ଶାଯାଇପାରେ, କିନ୍ତୁ ଏହାର ଅସୀମିତ ଧାର୍ମିକ ଏବଂ ପୌରାଣିକ ମାନ୍ୟତାକୁ ଶବ୍ଦ କିମ୍ବା ଦୃଶ୍ୟରେ ସଂରକ୍ଷଣ କରିବା ଅସମ୍ଭବ । ସୁପ୍ରିମକୋର୍ଟର 5 ଜଣିଆ ଖଣ୍ଡପୀଠ 9 ନଭେମ୍ବର 2019ରେ ରାମ ମନ୍ଦିର ସପକ୍ଷରେ ରାୟ ଶୁଣାଇଥିଲେ । ହିନ୍ଦୁ ପକ୍ଷ ଅନୁସାରେ 1528ରେ ମୋଗଲ ବାଦଶାହ ବାବରର ସେନାପତି ମୀର ବାକୀ, ମନ୍ଦିର ଭାଙ୍ଗି ବାବରୀ ମସଜିଦ୍ ନିର୍ମାଣ କରିଥିଲେ । ଦୀର୍ଘ ସଂଘର୍ଷ ପରେ ଶେଷରେ 5 ଅଗଷ୍ଟ 2020ରେ ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । 1528ରୁ 2020 ଯାଏ ରାମ ମନ୍ଦିର ଇତିହାସରେ ଆସିଛି ଅନେକ ମୋଡ଼ ।
ବର୍ଷ 1527-1528
ଖ୍ରୀଷ୍ଟାବ୍ଦ 1527 ଓ 1528 ବର୍ଷ ଥିଲା ଭାରତ ପାଇଁ କଳା ବର୍ଷ। ଏହି ସମୟ ଖଣ୍ଡରେ ମୋଗଲ ଶାସନରେ ଦୁର୍ବଳ ହୋଇସାରିଥିବା ଭାରତବାସୀଙ୍କ ଆତ୍ମା ଉପରେ ହୋଇଥିଲା କୁଠାରଘାତ । ପ୍ରତି ଭାରତୀୟଙ୍କ ହୃଦୟରେ ବିରାଜିତ ପ୍ରଭୁ ଶ୍ରୀରାମଙ୍କ ଜନ୍ମଭୂମି ଉପରେ ହୋଇଥିଲା ଆକ୍ରମଣ । 1528 ଖ୍ରୀଷ୍ଟାବ୍ଦରେ ମୋଗଲ ସମ୍ରାଟ ବାବରଙ୍କ ସେନାପତି ମୀର ବାକି ଶ୍ରୀରାମଙ୍କ ଜନ୍ମଭୂମିରେ ଥିବା ମନ୍ଦିର ଭାଙ୍ଗି, ସେହି ସ୍ଥାନରେ ନିର୍ମାଣ କରିଥିଲେ ବାବରୀ ମସଜିଦ । ଏହାପରଠାରୁ ଏହି ସ୍ଥାନ ପାଲଟିଯାଇଥିଲା ବିବାଦୀୟ ସ୍ଥାନର ଠିକଣା । ହିନ୍ଦୁ ପକ୍ଷର ଦାବି ଅନୁସାରେ ଏହି ସ୍ଥାନ ଥିଲା ତ୍ରେତୟା ଯୁଗରେ ଭଗବାନ ବିଷ୍ଣୁଙ୍କ ସପ୍ତମ ଅବତାର ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଜନ୍ମସ୍ଥାନ । ଏଠାରେ ରହିଥିଲା ଏକ ପ୍ରାଚୀନ ମନ୍ଦିର । ପୌରାଣିକ ମତାନୁସାରେ ମନ୍ଦିରର ମୁଖ୍ୟ ଗମ୍ବୁଜ ତଳେ ଥିଲା ଭଗବାନ ରାମଙ୍କ ଜନ୍ମସ୍ଥାନ । ବାବ୍ରି ମସଜିଦ ମୂଳ ମନ୍ଦିରର ତିନିଟି ଗମ୍ବୁଜ ଉପରେ ଠିଆ ହୋଇଥିଲା।
ବର୍ଷ 1853-1949
1853 ମସିହାରେ ଏହି ସ୍ଥାନରେ ପ୍ରଥମ ଥର ପାଇଁ ଦଙ୍ଗା ହୋଇଥିଲା । ମୁହାଁମୁହିଁ ହୋଇଥିଲେ ହିନ୍ଦୁ ଓ ମୁସଲିମ ପକ୍ଷ । 1859 ମସିହାରେ, ବ୍ରିଟିଶ ପ୍ରଶାସନ ବିବାଦୀୟ ସ୍ଥାନ ଚାରିପାଖରେ ଏକ ବାଡ଼ ଲଗାଇଥିଲେ । ଉଭୟ ହନ୍ଦୁ ଓ ମୁସଲିମ ପକ୍ଷକୁ ସନ୍ତୁଷ୍ଟ କରିବାକୁ ଯାଇ ଉଭୟ ପକ୍ଷଙ୍କୁ ପୂଜା ଅନୁମତି ଦେଇଥିଲେ ବ୍ରିଟିଶ ସରକାର । କିନ୍ତୁ ବିବାଦୀୟ ନିର୍ମାଣ ଭିତର ପାର୍ଶ୍ବରେ ମୁସଲମାନଙ୍କୁ ପ୍ରବେଶ ଅନୁମତି ମିଳିଥିବାବେଳେ ବାହାରେ ହିନ୍ଦୁମାନଙ୍କୁ ପୂଜା କରିବାକୁ ଅନୁମତି ମିଳିଥିଲା ।
ବର୍ଷ 1949
ରକ୍ତପାତ ଓ ହିଂସାତ୍ମକ ବିବାଦ ଆରମ୍ଭ ହୋଇଥିଲା 23 ଡିସେମ୍ବର 1949ରେ । ଯେତେବେଳେ ମସଜିଦରେ ଭଗବାନ ରାମଙ୍କ ମୂର୍ତ୍ତି ଠାବ ହୋଇଥିଲା । ମନ୍ଦିରରେ ଶ୍ରୀରାମ ପ୍ରକଟ ହୋଇଥିବା ହିନ୍ଦୁ ପକ୍ଷ ଦାବି କରିଥିବାବେଳେ, ରାତ୍ରି ସମୟରେ କେହି ରାମଚନ୍ଦ୍ରଙ୍କ ମୂର୍ତ୍ତି ରଖିଥିବା ଅଭିଯୋଗ କରିଥିଲେ ମୁସଲିମ ପକ୍ଷ । ମୂର୍ତ୍ତିଗୁଡ଼ିକୁ ସ୍ଥାନାନ୍ତର କରିବାକୁ ୟୁପି ସରକାର ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଜିଲ୍ଲା ମାଜିଷ୍ଟ୍ରେଟ କେ.କେ ନାୟାର ଦଙ୍ଗା ତଥା ହିନ୍ଦୁ ପକ୍ଷର ଉତ୍ତେଜନାକୁ ଭୟ କରି ନିର୍ଦ୍ଦେଶ ପାଳନ କରିବାରେ ଅକ୍ଷମତା ପ୍ରକାଶ କରିଥିଲେ । ଏହାକୁ ଏକ ବିବାଦୀୟ ଗଠନ ଦର୍ଶାଇ ସରକାର ଏହି ପ୍ରକୋଷ୍ଠକୁ ସ୍ଥାୟୀ ଭାବେ ବନ୍ଦ କରିଦେଇଥିଲେ ।
ବର୍ଷ 1950
1950ରେ ବିବାଦ ଉଗ୍ର ରୂପ ଧାରଣ କରିଥିଲା । ଯାହାକୁ ନେଇ ଫୈଜାବାଦ ସିଭିଲ କୋର୍ଟରେ ଦୁଇଟି ଆବେଦନ କରାଯାଇଥିଲା । ଗୋଟିଏ ଆବେଦନରେ ରାମଲାଲାଙ୍କ ପୂଜା ପାଇଁ ଅନୁମତି ଏବଂ ଅନ୍ୟଟି ଥିଲା ବିବାଦୀୟ ସ୍ଥାନରେ ଭଗବାନ ରାମଙ୍କ ପ୍ରତିମା ରଖି ପୂଜା କରିବାକୁ ଅନୁମତି ଦାବି । 1959ରେ, ଶ୍ରୀରାମଙ୍କ ମୂର୍ତ୍ତି ପୂଜା ପାଇଁ ନିର୍ମୋହି ଆଖଡ଼ା ପକ୍ଷରୁ ତୃତୀୟ ଆବେଦନ କରାଯାଇଥିଲା ।
ବର୍ଷ 1961
ଏହାପରେ 1961ରେ ଉତ୍ତରପ୍ରଦେଶ ସୁନ୍ନି ୱାକଫ ବୋର୍ଡ ବିବାଦୀୟ ସ୍ଥାନ ଅଧିକାର କରିବାକୁ ଉଦ୍ୟମ ଆରମ୍ଭ କରିଥିଲା । ବିବାଦୀୟ ସ୍ଥାନର ଆକୃତି ପରିବର୍ତ୍ତନ ସହିତ ଶ୍ରୀରାମଙ୍କ ମୂର୍ତ୍ତିଗୁଡ଼ିକୁ ସ୍ଥାନାନ୍ତର କରିବାକୁ ଆବେଦନ କରିଥିଲା ସୁନ୍ନି ୱାକଫ ବୋର୍ଡ। ଯାହାକୁ ନେଇ ପୁନର୍ବାର ଦଙ୍ଗାର ସୁତ୍ରପାତ ହୋଇଥିଲା ।
ବର୍ଷ 1984
ଏହାପରେ 1984ରେ ବିଶ୍ବ ହିନ୍ଦୁ ପରିଷଦ ବିବାଦୀୟ ସଂରଚନା ସ୍ଥାନରେ ଶ୍ରୀରାମ ମନ୍ଦିର ନିର୍ମାଣ କରିବାକୁ ଏକ କମିଟି ଗଠନ କରିଥିଲା।
ବର୍ଷ 1986
1 ଫେବୃଆରୀ 1986ରେ ୟୁସି ପାଣ୍ଡେଙ୍କ ଆବେଦନ ଉପରେ ଶୁଣାଣି ହୋଇଥିଲା । ଯେଉଁଥିରେ ପ୍ରମାଣ ଆଧାରରେ ହିନ୍ଦୁ ପକ୍ଷକୁ ପୂଜା ପାଇଁ ଅନୁମତି ମିଳିଥିଲା । ଫୈଜାବାଦ ଜିଲ୍ଲା ଜଜ୍ କେ.ଏମ ପାଣ୍ଡେ ହିନ୍ଦୁ ବର୍ଗକୁ ପୂଜା କରିବାକୁ ଅନୁମତି ଦେବା ସହ ସଂରଚନାରେ ଥିବା ତାଲା ହଟାଇବାକୁ ନିର୍ଦ୍ଦେଶ ଦେଇଥିଲେ।
ବର୍ଷ 1990
1990ରେ ଶ୍ରୀ ରାମ ଜନ୍ମଭୂମି ବିବାଦ ଚରମ ସୀମାରେ ପହଞ୍ଚିଥିଲା । ସାରା ଭାରତରେ ଶ୍ରୀରାମ ଭକ୍ତଙ୍କୁ ଏକଜୁଟ କରିବା ଉଦ୍ଦେଶ୍ୟରେ ତତ୍କାଳୀନ ବିଜେପି ସଭାପତି ଲାଲକୃଷ୍ଣ ଆଡଭାନୀ କନ୍ୟାକୁମାରୀରୁ ଆରମ୍ଭ କରିଥିଲେ ଶ୍ରୀରାମ ରଥଯାତ୍ରା । ଏହି ରଥଯାତ୍ରା ଫଳରେ ସାରା ଭାରତବର୍ଷରେ ରାମ ମନ୍ଦିର ପାଇଁ ଦାବି ଜୋରଦାର ହୋଇଥିଲା ।
6 ଡିସେମ୍ବର 1992
1992 ଡିସେମ୍ବରରେ ଏଲ.କେ. ଆଡଭାନୀଙ୍କ ରଥଯାତ୍ରା ସମ୍ପୂର୍ଣ୍ଣ ହୋଇଥିଲା । ଆରଏସଏସ, ଭିଏଚପି, ଶିବସେନା, ଅନ୍ୟ ହିନ୍ଦୁ ସଂଗଠନର ଲକ୍ଷାଧିକ ସଂଗଠକ ଅଯୋଧ୍ୟାରେ ବିବାଦୀୟ ଗଠନକୁ ଭାଙ୍ଗି ଦେଇଥିଲା । ଏହାପରେ ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ଦଙ୍ଗା ସ୍ଥିତି ଦେଖାଦେଇଥିଲା । ରକ୍ତାକ୍ତ ସଂଘର୍ଷରେ 2 ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା ।
ବର୍ଷ 2002
2002ରେ ଅଯୋଧ୍ୟାରୁ ଫେରୁଥିବା ହିନ୍ଦୁ କର୍ମକର୍ତ୍ତାଙ୍କ ଉପରେ ଆତର୍କିତ ଆକ୍ରମଣ ହୋଇଥିଲା । ଟ୍ରେନ ଗୁଜରାଟର ଗୋଧ୍ରା ଷ୍ଟେସନରେ ଅଟକିଥିବାବେଳେ ଶତ୍ରୁ ପକ୍ଷ ଟ୍ରେନରେ ନିଆଁ ଲଗାଇ ଦେଇଥିଲେ । ଯେଉଁଥିରେ 58 ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ । ଏହାପରେ ଗୁଜରାଟରେ ହୋଇଥିବା ଦଙ୍ଗାରେ 2 ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା ।
ବର୍ଷ 2010
ଅଯୋଧ୍ୟାରେ ବିବାଦୀୟ ସ୍ଥଳକୁ ନେଇ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଥିଲେ ଆହ୍ଲାବାଦ ହାଇକୋର୍ଟ । ସୁନି ୱାକଫ ବୋର୍ଡ, ରାମଲାଲା ବିରାଜମାନ ଓ ନିର୍ମୋହୀ ଆଖଡ଼ା ମଧ୍ୟରେ 3ଟି ସମାନ ଭାଗରେ ବିବାଦୀୟ ସ୍ଥଳକୁ ବଣ୍ଟନ କରିବାକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ ।
ବର୍ଷ 2011
ଆହ୍ଲାବାଦ ହାଇକୋର୍ଟଙ୍କ ରାୟ ଉପରେ ରୋକ୍ ଲଗାଇଥିଲେ ସୁପ୍ରିମକୋର୍ଟ । 3 ପକ୍ଷ ମଧ୍ୟରେ ବିବାଦୀୟ ସ୍ଥାନ ବଣ୍ଟନ ଫଳରେ ସମାଧାନ ବଦଳରେ ଅଧିକ ହିଂସାକାଣ୍ଡ ଘଟିବ ବୋଲି କହିଥିଲେ ସୁପ୍ରିମକୋର୍ଟ ।
ବର୍ଷ 2017
2017ରେ ପୁଣି ବିବାଦ ବଢିଥିଲା । ସୁପ୍ରିମକୋର୍ଟ ଆଉଟ ଅଫ କୋର୍ଟ ସେଟଲମେଣ୍ଟକୁ ଆହ୍ୱାନ କରିଥିଲେ । କାରଣ ବିବାଦୀୟ ଗଠନ ଭଙ୍ଗ ମାମଲାରେ ବିଜେପିର ଏକାଧିକ ଶୀର୍ଷ ସ୍ତରୀୟ ନେତାଙ୍କ ବିରୋଧରେ ମାମଲାକୁ ପୁଣିଥରେ ଚାଲୁ କରାଯାଇଥିଲା ।
8 ମାର୍ଚ୍ଚ 2019
ବିବାଦର ସ୍ଥାୟୀ ସମାଧାନ ପାଇଁ ସୁପ୍ରିମକୋର୍ଟ ମଧ୍ୟସ୍ଥତା କମିଟି ଗଠନ କରିଥିଲେ । ଗଠନ ହୋଇଥିବା ପ୍ୟାନେଲ 8 ସପ୍ତାହ ମଧ୍ୟରେ ଶୁଣାଣି ଶେଷ କରିବାକୁ ନିର୍ଦ୍ଦେଶ ଜାରି କରିଥିଲେ ସୁପ୍ରିମକୋର୍ଟ ।
1 ଅଗଷ୍ଟ 2019
ଅଯୋଧ୍ୟା ଜମି ବିବାଦ ନେଇ ସୁପ୍ରିମକୋର୍ଟ ମଧ୍ୟସ୍ଥତା କମିଟି ରିପୋର୍ଟ ଦାଖଲ କରିଥିଲା । ସାକ୍ଷ୍ୟ, ତଥ୍ୟ ଓ ପ୍ରମାଣ ଆଧାରରେ କମିଟି ରିପୋର୍ଟ ଦାଖଲ କରିଥିଲା ।
2 ଅଗଷ୍ଟ 2019
ମଧ୍ୟସ୍ଥତା କମିଟିର ରିପୋର୍ଟକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ଉଭୟ ପକ୍ଷ । ଯାହାଫଳରେ ମାମଲାର ପୁନଃଶୁଣାଣି ପାଇଁ ଆବେଦନ ହୋଇଥିଲା ।
6 ଅଗଷ୍ଟ 2019
ଅଯୋଧ୍ୟା ବିବାଦୀୟ ଜମି ସମସ୍ୟାର ସମାଧାନ ପାଇଁ ସୁପ୍ରିମକୋର୍ଟ ଦୈନିକ ଶୁଣାଣି ପାଇଁ ରାଜି ହୋଇଥିଲେ । 6 ଅଗଷ୍ଟ 2019ରୁ ଆରମ୍ଭ ହୋଇଥିଲା ଦୈନିକ ଶୁଣାଣି ।
16 ଅକ୍ଟୋବର 2019
ଅଯୋଧ୍ୟା ଜମି ବିବାଦ ମାମଲାର ଶୁଣାଣି ଶେଷ ହୋଇଥିଲା । ଉଭୟ ପକ୍ଷର ଦାବି ଓ ପ୍ରମାଣ ଆଧାରରେ ଶୁଣାଣି ସମ୍ପୂର୍ଣ୍ଣ ହୋଇଥିବା ଘୋଷଣା କରିବା ସହ ରାୟ ସଂରକ୍ଷିତ ରଖିଥିଲେ ସୁପ୍ରିମକୋର୍ଟ ।
9 ନଭେମ୍ବର 2019
ସୁପ୍ରିମକୋର୍ଟର 5 ଜଣିଆ ଖଣ୍ଡପୀଠ ମାମଲାର ରାୟ ଶୁଣାଇଥିଲେ । ଅଯୋଧ୍ୟାର ବିବାଦୀୟ ସ୍ଥଳରେ ଥିବା 2.77 ଏକର ଜମିକୁ ହିନ୍ଦୁ ପକ୍ଷକୁ ମିଳିଥିଲା । ସେପଟେ ମସଜିଦ ନିର୍ମାଣ ପାଇଁ ମୁସଲିମ ପକ୍ଷରୁ ଭିନ୍ନ ସ୍ଥାନରେ 5 ଏକର ଜମି ଯୋଗାଇ ଦେବାକୁ ଉତ୍ତରପ୍ରଦେଶ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ ।
25 ମାର୍ଚ୍ଚ 2020
28 ବର୍ଷ ପରେ ରାମଲାଲାଙ୍କୁ ଟେଣ୍ଟରୁ ନବନିର୍ମିତ ଫାଇବର ମନ୍ଦିରକୁ ସ୍ଥାନାନ୍ତର କରାଯାଇଥିଲା ।
5 ଅଗଷ୍ଟ 2020
ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ କରିଥିଲେ ପ୍ରଧାନମନ୍ତ୍ରୀ କାର୍ଯ୍ୟକ୍ରମରେ ଆରଏସଏସ ସରସଂଘଚାଳକ ମୋହନ ଭାଗବତ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ସାଧୁସନ୍ଥଙ୍କ ସମେତ ମୋଟ 175 ଜଣଙ୍କୁ ନିମନ୍ତ୍ରିତ କରାଯାଇଥିଲା
2024 ଜାନୁଆରୀ 22
ଅପୂର୍ବ,ଅଲୌକିକ, ଅଦଭୁତ ବିଗ୍ରହ ଦର୍ଶନ କରି ବିମୋହିତ ହୋଇଛନ୍ତି ଭକ୍ତ ଓ ଶ୍ରଦ୍ଧାଳୁ । ଭବ୍ୟ ଓ ଦିବ୍ୟ ରାମମନ୍ଦିରରେ ପ୍ରାଣପ୍ରତିଷ୍ଠା ସହ ବିରାଜିଛନ୍ତି ପ୍ରଭୁ ରାମଲାଲା । ଦେଶ ବିଦେଶରୁ ନିମନ୍ତ୍ରିତ ଅତିଥି ପ୍ରାଣପ୍ରତିଷ୍ଠା ଉତ୍ସବରେ ସାମିଲ ହୋଇଛନ୍ତି ।